//BREAKING//
Loading...

ରୁଷ-ୟୁକ୍ରେନ ଯୁଦ୍ଧକ୍ଷେତ୍ରରେ ୧୦ ଭାରତୀୟଙ୍କ ମୃତ୍ୟୁ

 


ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୟଙ୍କର ସଂଘର୍ଷରେ ୧୦ ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଥିବା ନେଇ କେନ୍ଦ୍ର ସରକାର ଶନିବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଚାକିରି ଆଶାରେ ରୁଷ ଯାଇଥିବା ଏହି ଭାରତୀୟମାନେ ପରବର୍ତ୍ତୀ ସମୟରେ ଯୁଦ୍ଧକ୍ଷେତ୍ରରେ ସାମିଲ ହେବାକୁ ବାଧ୍ୟ ହୋଇଥିଲେ। ସୁପ୍ରିମକୋର୍ଟରେ ୨୬ ଜଣ ଭାରତୀୟଙ୍କ ପରିବାର ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଦାଖଲ ହୋଇଥିବା ଏକ ମିଳିତ ଆବେଦନର ଶୁଣାଣି ସମୟରେ ଏହି ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି। ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚକୁ ଜଣାଇଛନ୍ତି ଯେ, ସେହି ୨୬ ଜଣଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ବାକି ୧୬ ଜଣଙ୍କ ମଧ୍ୟରୁ ଜଣେ ଅପରାଧିକ ମାମଲାରେ ରୁଷ ଜେଲରେ ଅଛନ୍ତି ଏବଂ ଅନ୍ୟ ଜଣେ ନିଜ ଇଚ୍ଛାରେ ଯୁଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ହରିୟାଣା, ରାଜସ୍ଥାନ, ପଞ୍ଜାବ ଓ ହିମାଚଳ ପ୍ରଦେଶରୁ ପ୍ରାୟ ୨୧୫ ଜଣ ଭାରତୀୟ ଏଜେଣ୍ଟଙ୍କ ଜରିଆରେ ରୁଷ ଯାଇଥିଲେ। 

ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର କହିଛନ୍ତି ଯେ, ପ୍ରଭାବିତ ପରିବାରଗୁଡ଼ିକୁ ସାହାଯ୍ୟ କରିବା ଏବଂ ମୃତକଙ୍କ ପାର୍ଥିବ ଶରୀର ଫେରାଇ ଆଣିବା ପାଇଁ ସରକାର ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ତେବେ କିଛି କ୍ଷେତ୍ରରେ ପରିବାର ସଦସ୍ୟଙ୍କ ପକ୍ଷରୁ ଅସହଯୋଗ କରାଯାଉଥିବା ନେଇ ଏସ୍.ଜି ଭାଟି ଅଭିଯୋଗ କରିଛନ୍ତି। ଏପରିକି ଜଣେ ମୃତକଙ୍କ ପରିବାର ପାର୍ଥିବ ଶରୀର ଗ୍ରହଣ ନ କରି ସରକାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିବା କଥା ସେ ଅଦାଲତଙ୍କୁ ଜଣାଇଛନ୍ତି। ଅଧିକାଂଶ ଭାରତୀୟ ଚାକିରି ପାଇଁ ଏଜେଣ୍ଟଙ୍କ ସହ ଚୁକ୍ତି କରି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପ୍ରତାରଣା କରି ଯୁଦ୍ଧକ୍ଷେତ୍ରକୁ ଠେଲି ଦିଆଯାଇଥିବା ସରକାର ସ୍ୱୀକାର କରିଛନ୍ତି।

ଯୁଦ୍ଧକ୍ଷେତ୍ରକୁ ଠେଲି ଦିଆଯାଇଥିବା ସରକାର ସ୍ୱୀକାର କରିଛନ୍ତି

ଅନ୍ୟପଟେ, ଆବେଦନକାରୀଙ୍କ ଓକିଲ କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ଖଣ୍ଡନ କରି କହିଛନ୍ତି ଯେ, ଏହା ସରକାରଙ୍କ ଅକ୍ଷମତା ନୁହେଁ ବରଂ ସମ୍ପୂର୍ଣ୍ଣ ଅସହଯୋଗର ମାମଲା। ବାରମ୍ବାର ନିବେଦନ ଏବଂ ବିଦେଶ ମନ୍ତ୍ରଣାଳୟକୁ ୧୨୦ରୁ ଅଧିକ ପତ୍ର ଲେଖିବା ସତ୍ତ୍ୱେ କର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ ପାଇଁ କୌଣସି ଗମ୍ଭୀରତା ଦେଖାଇନାହାଁନ୍ତି। ପାର୍ଥିବ ଶରୀର ଚିହ୍ନଟ ପାଇଁ ଡିଏନଏ ପରୀକ୍ଷା କରିବାକୁ ଆବେଦନକାରୀମାନେ ପରାମର୍ଶ ଦେଇଥିଲେ ମଧ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିନାହାଁନ୍ତି। ତେବେ ଏହି ପ୍ରସଙ୍ଗରେ ମୁଖ୍ୟ ବିଚାରପତି ନିଜର ମତ ରଖି କହିଛନ୍ତି ଯେ, ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଡିଏନଏ ନମୁନା ସଂଗ୍ରହ କରିବା ଏକ ଅତି ଜଟିଳ ଏବଂ କଷ୍ଟକର କାର୍ଯ୍ୟ। ଏହି ମାମଲା ଏବେ ଜାତୀୟ ସ୍ତରରେ ଉଦବେଗ ସୃଷ୍ଟି କରିଥିବା ବେଳେ ଯୁଦ୍ଧକ୍ଷେତ୍ରରେ ଫସି ରହିଥିବା ଅନ୍ୟ ଭାରତୀୟଙ୍କ ସୁରକ୍ଷାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି।

Post a Comment

Previous Post Next Post