//BREAKING//
Loading...

Road Accident କ୍ରୋମାଇଟ୍‌ ବୋଝେଇ ଟ୍ରକ୍‌ ଚାପାରେ କର୍ମଚାରୀ ମୃତ, ରାସ୍ତାରୋକ


କାଳିଆପାଣି :  କାଳିଆପାଣି ଥାନା ଗୁରୁଜଙ୍ଗ ଗାଁ ଡମଶାଳ ନାଳ କୂଳ ସଡ଼କରେ ଆଜି ଏକ କ୍ରୋମାଇଟ୍‌ ବୋଝେଇ ଟ୍ରକ୍‌(ଓଆର୍‌-୦୯ଏଫ୍-୩୬୬୯) ଚାପାରେ ଫେକର-ବେଦାନ୍ତ ଓସ୍ତପାଳ କ୍ରୋମାଇଟ୍‌ ଖଣିର ଜଣେ ଠିକା କର୍ମଚାରୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜଣକ ଢେଙ୍କାନାଳଜିଲ୍ଲା ଭୁବନ ଥାନା ବାରୁଆଁ ଗାଁର ବିଦୂର ରାଉତଙ୍କ ପୁଅ ବିଶ୍ବଜିତ(୩୧)। ଖଣିରେ ସେ ଏସ୍କାଭେଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। 
ସୂଚନାନୁସାରେ, ବିଶ୍ବଜିତ ନିଜ କର୍ମକ୍ଷେତ୍ରରୁ ଘର ଫେରିବା ବାଟରେ ଖଣିରୁ ମାତ୍ର ୨ ଶହ ମିଟର ଦୂର ସଡ଼କରେ ଦୁର୍ଘଟଣାର ଶିକାର ହୋଇଥିଲେ। ଖଣିରୁ କ୍ରୋମାଇଟ୍‌ ବୋଝେଇ କରି ଭଦ୍ରକ ରାନ୍ଦିଆ ଯାଉଥିବା ଟ୍ରକ୍‌ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ସହକର୍ମୀମାନେ ତାଙ୍କୁ ଉଦ୍ଧାରକରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଟ୍ରକ୍ ଚଳାଇ ପଳାଉଥିବା ଅଭିଯୁକ୍ତ ଡ୍ରାଇଭର ଭୁବନ ଥାନା ବଡ଼କାଠିଆ ଗାଁର ତାରାଚାନ୍ଦ ମହାନ୍ତ(୫୨)କୁ ଲୋକେ ଅଟକାଇ ପୁଲିସ ଜିମା ଦେଇଥିଲେ। ଘଟଣାକୁ ନେଇ ଘଟଣାସ୍ଥଳ‌ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
କ୍ଷତିପୂରଣ ଦାବିରେ ଲୋକେ ସଡ଼କ ଅବରୋଧ କରି ରାସ୍ତାରୋକ କରିଥିଲେ। ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନ ସଦଳବଳ ପହଞ୍ଚି ଉତ୍ତ୍ୟକ୍ତ ସହକର୍ମୀ ଓ ଗ‌୍ରାମବାସୀଙ୍କୁ ବୁଝାସୁଝା କରିଥି‌ଲେ। ପୁଲିସ ଉକ୍ତ ଟ୍ରକ୍‌ ଓ ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରିଛି। ବାପା ବିଦୂର ରାଉତଙ୍କ ଏତଲା ଆଧାରରେ ଥାନାରେ ଏକ କେସ୍ ୩୭/୨୬ ରୁଜୁ କରାଯାଇଛି। ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ କହିଛି। ୨ ବର୍ଷ ତଳେ ବିବାହ କରିଥିବା ବିଶ୍ବଜିତଙ୍କ ଏତାଦୃଶ ମୃତ୍ୟୁରେ ତାଙ୍କ ପତ୍ନୀ ୯ ମାସର ପୁଅକୁ କୋଳରେ ଧରି କାନ୍ଦୁଥିବାର ଦୃଶ୍ୟ ସାଧାରଣରେ ହୃଦୟ ବିଦାରକ ଥିଲା।

Post a Comment

Previous Post Next Post